logo

ଖଣ୍ଡୁଆଳ ମାଳି ଶିଖରରେ ଶେଷ ହେଲା ଖଣ୍ଡୁଆଳରାଜା ପରବ ଖଣ୍ଡୁଆଳ ମାଳି ସୁରକ୍ଷା ପାଇଁ ନେଲେ ବଜ୍ର ଶପଥ ପୁଣି ଶୁଭିଲା -ଯାନ ଯାଉ ଜୀବନ ଯାଉ, ଖଣ୍ଡୁଆଳ ମାଳି ବଞ୍ଚିଥାଉ

କଳାହାଣ୍ଡି ,(AIMA )-ଜାନ୍ ଯାଉ ଜୀବନ ଯାଉ, ଖଣ୍ଡୁଆଳ ମାଳି ବଞ୍ଚିଥାଉ ଏହି ନାରାରେ ମାର୍ଚ୍ଚ ୨୮ ଓ ୨୯ ତାରିଖ ଦୁଇଦିନ ବ୍ୟାପି ପ୍ରକମ୍ପିତ ହୋଇଥିଲା ଖଣ୍ଡୁଆଳ ମାଳି ଶିଖର । ପ୍ରକୃତିର ଆଦିମ ସନ୍ତାନମାନେ ମାଁ ମାଟିର ସୁରକ୍ଷା ପାଇଁ ଜାଗି ଉଠିଥିଲେ । ଆରାଧ୍ୟ ଦେବତା ଖଣ୍ଡୁଆଳ ବୁଢାରାଜା ଓ ମା' ଡୁକୁରୀଙ୍କୁ ସାକ୍ଷୀ ରଖି ନିଜର ଜୀବନ ଜୀବିକା ଖଣ୍ଡୁଆଳ ମାଳିକୁ ସୁରକ୍ଷିତ ରଖିବାକୁ ପଣ କରି ବଜ୍ର ଶପଥ ନେଇଥିଲେ । ଖଣ୍ଡୁଆଳ ବୁଢାରାଜାଙ୍କୁ ବଳିଭୋଜା ଦ୍ୱାରା ସନ୍ତୁଷ୍ଟ କରିବା ପରେ ରେରେକାର ସ୍ୱରରେ ବହୁରାଷ୍ଟ୍ରୀୟ କଂପାନୀକୁ ଦେଇଥିଲେ ଚରମ ଚେତାବନୀ । ରକ୍ତ ଚାଉଳ ଧରି ଶପଥ ନେଇଥିଲେ ଜୀବନ ଥିବା ପର୍ଯ୍ୟନ୍ତ ଖଣ୍ଡୁଆଳ ମାଳିର ସୁରକ୍ଷା ହିଁ ସେମାନଙ୍କ ଏକମାତ୍ର ନିଷ୍ପତ୍ତି । ସରକାର ଆଉ ପ୍ରଶାସନ ଯେତେ ଭୁତେଇଲେ ବି ଖଣ୍ଡୁଆଳ ମାଳି ଛାଡିବୁ ନାହିଁ ବୋଲି ସେମାନେ ମିଳିତ ଭାବେ ଆହ୍ୱାନ ଦେଇଥିଲେ । ପ୍ରକୃତିର ଉପାସନା ଖଣ୍ଡୁଆଳରାଜା ପରବ ସହିତ ବହୁ ରାଷ୍ଟ୍ରୀୟ କଂପାନୀର ଖଣିଖନନ ବିରୁଦ୍ଧରେ ହଜାର ହଜାର ଆଦିବାସୀଙ୍କ ମେଳି ଭଳି ଏକ ସମ୍ମନ୍ୱୟର ପର୍ବ ଉଦ୍‌ଯାପିତ ହୋଇଯାଇଛି । ବହୁ ଚର୍ଚ୍ଚିତ ଖଣ୍ଡୁଆଳ ମାଳି ଶିଖରରେ ଦୁଇଦିନ ବ୍ୟାପି ଚାଲିଥିବା ଖଣ୍ଡୁଆଳ ବୁଢ଼ାରାଜା ପରବରେ ଅନେକ କାରଣ କୁ ନେଇ ଚର୍ଚ୍ଚା ହୋଇଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶିଳ୍ପ ପ୍ରତିଷ୍ଠା ଓ ଖଣିଖନନ ପାଇଁ ସବୁ ପ୍ରକାର କୋହଳ ନୀତି ଜାରି କରିଥିବାବେଳେ ଖଣ୍ଡୁଆଳ ମାଳିରେ ଖଣି ଖନନକୁ ତୀବ୍ର ବିରୋଧ ସହିତ ସରକାରଙ୍କ ଆଦିବାସୀ ଓ ଲୁପ୍ତପ୍ରାୟ ଆଦିମ ଜନଜାତିଙ୍କ ଜୀବନ ଜୀବିକାକୁ ବିପନ୍ନ କରିବାକୁ ତୀବ୍ର ବିରୋଧ ଜାରି ରହିବ ବୋଲି ଆଦିବାସୀମାନେ ଶପଥ ନେଇଥିଲେ । ୨୪୦୦ ବର୍ଗ କିଲୋମିଟରରେ ରହିଥିବା ଏହି ଖଣ୍ଡୁଆଳ ମାଳି ମଧ୍ୟରେ ୩୨୨ ଗୋଟି ଝରଣା,୨୧୦ ଗୋଟି ଗାଁ ଓ କଳାହାଣ୍ଡି ଜିଲ୍ଲାର ତିନୋଟି ବ୍ଲକ ଲାଞ୍ଜିଗଡ, ଥୁଆମୂଳ ରାମପୁର ଓ ସଦର ବ୍ଲକର ୧୧ ଗୋଟି ପଞ୍ଚାୟତର ହଜାର ହଜାର ଆଦିବାସୀ, ଝରଣିଆ ଓ କୁଟିଆ କନ୍ଧଙ୍କ ଆସ୍ଥାର ସୂଚକ ତଥା ପରମ ଆରାଧ୍ୟ ଖଣ୍ଡୁଆଳରାଜାଙ୍କ ବାର୍ଷିକ ଉତ୍ସବ ଖଣ୍ଡୁଆଳରାଜା ପରବ ସମାପନ ହେବା ସହିତ ଏଠାରେ ଖଣିଖନନକୁ ନେଇ ତୀବ୍ର ବିରୋଧର ନମୁନା ଦେଖିବାକୁ ମିଳିଛି।ଖଣ୍ଡୁଆଳ ମାଳି ସୁରକ୍ଷା ସମିତି ଆହ୍ୱାନରେ ଆୟୋଜିତ ଏହି ପର୍ବରେ ଉପସ୍ଥିତ ଥିବା ସାହାଯ୍ୟ ସହଯୋଗ ଓ ସମର୍ଥନ କରି ଆସୁଥିବା ପ୍ରଗତିଶୀଳ, ବୁଦ୍ଧିଜୀବୀ, ପରିବେଶବିତ, ଦେଶପ୍ରେମୀ, ଗଣତାନ୍ତ୍ରିକ ପ୍ରେମୀ,ମାନବଧିକାର କର୍ମୀ ଏବଂ ବିଭିନ୍ନ ଗଣ ସଂଗଠନ,ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଖଣ୍ଡୁଆଳ ମାଳି ସ୍ଥାୟୀ ସୁରକ୍ଷା କମିଟି ପକ୍ଷରୁ ସଂଗ୍ରାମୀ ଅଭିନନ୍ଦନ ଜଣାଯାଇଥିଲେ l ଏଥିରେ ଓଡ଼ିଶାକୃଷକ ସଂଗଠନର ସଦସ୍ୟ ଲିଙ୍ଗରାଜ ପ୍ରଧାନ,ପ୍ରତାପ ଚିନାରା, ନାରୀ ନେତ୍ରୀ ପୁଲମେ ମାଝୀ,ଖଣ୍ଡୁଆଳ ମାଳି ସ୍ଥାୟୀ ସୁରକ୍ଷା ସମିତି ସଭାପତି କାର୍ତ୍ତିକ ମାଝୀ, ସମ୍ପାଦକ ବ୍ରିଟିଶ କୁମାର ଜଙ୍ଗଲୀ ,କୃଷ୍ଣ ଶିକକା, ଲାଇ ମାଝୀ, ଦାମୋଦର ବେହେରା, ସଞ୍ଜୟ ସୁନାନୀ,ସଦସ୍ୟ ବୈଦ୍ୟନାଥ ନାଏକ, ଲୋକନାଥ ମାଝୀ , କୁଞ୍ଜ ମାଝୀ,ମାନ ମାଝୀ, ହୃଷିକେଶ ମାଝୀ, ବନ ମାଝୀ, ଦାସୀନନ୍ଦୀ ବାଲି ପ୍ରମୁଖ ଉପସ୍ଥିତ ରହି ନେତୃତ୍ୱ ନେଇଥିବାବେଳେ ଖଣ୍ଡୁଆଳ ମାଳି ସଂଲଗ୍ନ ଅଞ୍ଚଳର ଲାଞ୍ଜିଗଡ, ଥୁଆମୂଳରାମପୁର ଓ ସଦର ବ୍ଲକର ୧୧ ଗୋଟି ପଞ୍ଚାୟତର ୨୧୦ଟି ଗାଁର ହଜାର ହଜାର ଆଦିବାସୀ ପୁରୁଷ ଓ ମହିଳା ଏଥିରେ ସାମିଲ ହୋଇଥିଲେ।

14
1773 views